Unknown

 

 

 

 

 

 

 

 

 

 

 

ବଜାର ବୋଲି

ଉପେନ୍ଦ୍ର ଭଞ୍ଜ

 

ଭୂମିକା

 

ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଘୁମୁସର ରାଜ୍ୟ ପୂର୍ବେ ଭଞ୍ଜ ବଂଶୀୟ ରାଜାମାନଙ୍କ ଶାସିତ ହେଉଥିଲା । ସେହି ରାଜବଂଶରେ ଉପେନ୍ଦ୍ର ଭଞ୍ଜ ଜନ୍ମ ଲାଭ କରିଥିଲେ । ଏହା ସପ୍ତଦଶ ଶତାବ୍ଦୀର ଘଟଣା ।

 

ଉପେନ୍ଦ୍ର ଭଞ୍ଜଙ୍କ ପିତାମହ ଧନଞ୍ଜୟ ଭଞ୍ଜଙ୍କର ଅନେକ ଗୁଡ଼ିଏ ରାଣୀ ଥିଲେ । ପ୍ରତ୍ୟେକ ରାଣୀଙ୍କର ପୁତ୍ରକନ୍ୟା ଥିଲେ । ପ୍ରତ୍ୟେକ ରାଣୀ ନିଜ ପୁଅ କିପରି ରାଜାହେବ, ଏହି ଭାବନା କରୁଥିଲେ । ଇତି ମଧ୍ୟରେ ଜଣେ ରାଣୀ ପିଠା ଭିତରେ ବିଷ ମିଶାଇ ରାଜାଙ୍କୁ ଖାଇବାକୁ ଦେଇଥିଲେ । ରାଜା ସେ ପିଠା ଖାଇ ବିଷ ଜ୍ୱାଳାରେ ଛଟପଟ ହୋଇ ପ୍ରାଣତ୍ୟାଗ କଲେ । ରାଣୀ କେତକେ ଖଳ ଲୋକଙ୍କ ସାହାଯ୍ୟରେ ନିଜ ପୁଅକୁ ରାଜା କରିବାକୁ ବସନ୍ତେ, ଉପେନ୍ଦ୍ର ଭଞ୍ଜଙ୍କ ପିତା ସିଂହସାନରେ ପ୍ରକୃତ ଅଧିକାରୀ ହେବାର ଥିଲେ ମଧ୍ୟ; ଜନକ୍ଷୟ ଓ ଅଶାନ୍ତି ଘଟିବାକୁ ସେ ପସନ୍ଦ ନ କରି ନିଜ ପୁଅ ଉପେନ୍ଦ୍ର ଭଞ୍ଜଙ୍କୁ ସାଙ୍ଗରେ ଆଣି ନୟାଗଡ଼ ଆସି ନୟାଗଡ଼ ରାଜଙ୍କର ତତ୍ତ୍ୱାବଧାନରେ ରହିଲେ । ନୟାଗଡ଼ ରାଜା ଏମାନଙ୍କର ଚଳା ଚଳ ହେବାର ସମସ୍ତ ପ୍ରକାର ସୁବିଧା କରିଦେଇଥିବାରୁ ନୟାଗଡ଼ରେ ଆନନ୍ଦରେ ରହିଲେ । ଉପେନ୍ଦ୍ର ଭଞ୍ଜଙ୍କ ପିତାମହ ଧନଞ୍ଜୟ ଭଞ୍ଜ ବଡ଼ ଧାର୍ମିକ ଶାନ୍ତଶିଷ୍ଟ ଓ କବି ଥିଲେ । ସେ ‘ରଘୁନାଥ ବିଳାସ’ କାବ୍ୟ ରଚନା କରିଥିଲେ ।

 

ଧନଞ୍ଜୟ ଭଞ୍ଜ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭା ଦେଖି ପିଲାଦିନରୁ ପାଣ୍ଡିତ୍ୟର ଉନ୍ନତି ସମ୍ପାଦନ କରିବାକୁ ଉପଦେଶ ଦେଇଥିଲେ । ଆହୁରି ମଧ୍ୟ ସହୋଦରି ବ୍ରହ୍ମାନନ୍ଦ ସାରସ୍ୱତ ରସ ସ୍ୱାଦନର ସୁଯୋଗ୍ୟ ଅଧିକାରୀ ହେବାକୁ ପ୍ରେରଣା ଦେଇଥିଲେ । ଉପେନ୍ଦ୍ର ଭଞ୍ଜ ପିତମହଙ୍କର ଉପଦେଶ ମତେ ‘ବୈଦେହୀଶ ବିଳାସ’ କାବ୍ୟ ରଚନା କରିଥିଲେ । ପ୍ରଥମେ ଉପେନ୍ଦ୍ର ଭଞ୍ଜ ଭାବିଲେ ଏ ଦୁରୁହ କାର୍ଯ୍ୟ ସକାଶେ ଦୈବୀ-ସାହାର୍ଯ୍ୟ ଏକାନ୍ତ ଲୋଡ଼ା । ସେ ତ ନୟାଗଡ଼ର ସାହିତ୍ୟ ରସିକରାଜାଙ୍କ ଦୟାରୁ ନୟାଗଡ଼ରେ ଥିଲେ । ଉପେନ୍ଦ୍ର ଦୈବୀସାହଯ୍ୟ ଆଶାରେ ନୟାଗଡ଼ ନିକଟବର୍ତ୍ତୀ ଓଡ଼ଗାଁର ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ରାମତାରକ ମନ୍ତ୍ର ଜପ କରିବାକୁ ଲାଗିଲେ । କିଛିଦିନ ନୈଷ୍ଠିକ ଭାବରେ ଏକାଗ୍ରତା ରଖି ଜପ କରିବାକୁ ଶ୍ରୀରଘୁନାଥଙ୍କ ଦୟାରେ ତାଙ୍କର କବି ପ୍ରତିଭା ଉତ୍ତରୋତ୍ତ ବଢ଼ିବାରେ ଲାଗିଲା । ତହୁଁ ସେ ‘ବୈଦେହୀଶ ବିଳାସ’ ‘ଲାବଣ୍ୟନିଧି’ ‘କୋଟବ୍ରହ୍ମାଣ୍ଡ ସୁନ୍ଦରୀ’ ପ୍ରଭୃତି ରଚନା କରିଥିଲେ । ପାହାର କି ଭାଷା ମଧୁର ସୁଖକର, ଆମୋଦଦାୟକ ଓ ଭକ୍ତିପୂର୍ଣ୍ଣ ଥିଲା । ମାତ୍ର ତାଙ୍କର ରଚନା ମଧ୍ୟରେ ଆଦିରସର ମାତ୍ରା ଅଧିକ ଥିବାର ପରିଲକ୍ଷିତ ହୁଏ ।

 

ତାହାଙ୍କ ରଚିତ ଗ୍ରନ୍ଥମାନ ଏ ପର୍ଯ୍ୟନ୍ତ ପୂର୍ଣ୍ଣଭାବେ ମିଳି ନ ଥିବାରୁ ଲୋକଲୋଚନ ଅନ୍ତରାଳରେ ଅଛି । ଯାହା ସବୁ ମିଳିଛି ସେଥିମଧ୍ୟରୁ ଅଧିକାଂଶ ଛାପା ହୋଇ ଛାନ୍ଦ ପ୍ରେମୀମାନଙ୍କର ଆଦରର ବସ୍ତୁ ହୋଇଛି । ସେହି ସବୁ ରଚନା ମଧ୍ୟରୁ ଏହି ‘ବଜାର ବୋଲି’ ନାୟକ-ନାୟିକାମାନଙ୍କର ରହସ୍ୟପୂର୍ଣ୍ଣ ପ୍ରଶ୍ନୋତ୍ତରମାନ ପାଠକମାନଙ୍କ ମନରେ ବିଶେଷ ଆନନ୍ଦ ଜନ୍ମାଇ ଥାଏ । ଏହି କବିଙ୍କର ପଦ ସଂଯୋଗ ଉପମା, ଉଦାହରଣ ଦେଖିଲେ ଜଣାଯାଏ, ଏହି କବି ସମ୍ରାଟ ଗଣିତ, ଜ୍ୟୋତିଷ କବିରାଜି ଆଦି ବିଦ୍ୟା ମଧ୍ୟ ଜାଣିଥିଲେ । ଏହାଙ୍କ ରଚିତ କାବ୍ୟ ମାନଙ୍କରୁ ଏସବୁ ଚାକ୍ଷୁସ ପ୍ରମାଣ ମିଳେ ।

 

ଆହୁରି ମଧ୍ୟ ଶବ୍ଦ ପ୍ରୟୋଗ ଶୈଳୀ ଏପରି ଚମତ୍କାର ଯେ, ଗୋଟିଏ ଗୋଡ଼ିଏ ପଦର ଦୁଇ ପ୍ରକାର, ତିନି ପ୍ରକାର ଅର୍ଥ ହୋଇ ପାରୁଛି । ଲେଖକ ଆଳି ରାଜା (ବ୍ରଜସୁନ୍ଦର ଦେବଙ୍କ) ସହିତ ଏହି ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ ସମ୍ବନ୍ଧେ ଆଲୋଚନ କରିବାରୁ ସେ ମହାଶୟ ପ୍ରତ୍ୟେକ ପଦର ଆଧ୍ୟାତ୍ମିକ ଅର୍ଥ ବୁଝାଇଥିଲେ, ମାତ୍ର ତାହା ଲିପିବଦ୍ଧ କରି ନ ଥିବାରୁ ଆକାଶ କୁସୁମ ଅବସ୍ଥାକୁ ଯାଇଅଛି ।

Image

 

ବଜାର ବୋଲି

 

କମଳା ପସରା- ବାଳୀକି କେ ବୋଲେ

ତୋ କମଳା ଯୋଡ଼ି କେତେ

ଦେଖାଅ ଦେଖିବା ମୂଲ୍ୟ ହିଁ କରିବା

କହିଦିଅ ନେବୁ କେତେ ? ।୧।

 

ଗୋଟିଏ ବଜାରରୁ ଜଣେ ଯୁବାପୁରୁଷ ଯାଇ ଦେଖିଲା, ସେଠାରେ ପ୍ରତ୍ୟେକ ବ୍ୟବସାୟ ଯୁବତୀ ସ୍ତ୍ରୀମାନେ କରୁଛନ୍ତି । ତହୁଁ ସେ ପ୍ରତ୍ୟେକ ଦୋକାନକୁ ଯାଇ; ସେ ସ୍ତ୍ରୀମାନଙ୍କ ସଙ୍ଗେ ଯେପରି ଭାବେ କଥାବାର୍ତ୍ତା କଲା, ସେହି ବିଷୟ ଏଥିରେ ଉପେନ୍ଦ୍ର ଭଞ୍ଜ ଦ୍ଵିବିଧ ଅର୍ଥଯୁକ୍ତ ପଦରେ ଲେଖିଛନ୍ତି ।

 

ଅର୍ଥ—ସେ ପୁରୁଷ ଜଣେ କମଳା ବିକ୍ରୟ କରୁଥିବା ଯୁବତୀ ପାଖରେ ପହଞ୍ଚି କହିଲା–ତୁମେ ଏ ଯେଉଁ କମଳା ପସରା ଆଣିଛ, ସେଥିରୁ ଆଗେ ଯୋଡ଼ିଏ କମଳା ମୋ ହାତକୁ ଦିଅ । ମୁଁ ସେ କମଳା ଦେଖି, ତାହା ଭଲ କି ମନ୍ଦ ଦେଖିଲେ ନେବି । ଆହୁରି ମଧ୍ୟ ଏ ଦୁଇଟି କମଳାର ଉଚିତ ମୂଲ୍ୟ କେତେ ନେବ କହିଦିଅ ।

 

ଅନ୍ୟାର୍ଥ—ସେ ପୁରୁଷ ସେହି ଯୁବତୀକୁ କହିଲା–ତୁମ୍ଭ ବକ୍ଷର ଲୁଗାଫୁଟି ଛାତିରେ ଉଚ୍ଚ ଉଚ୍ଚ କମଳା ପରି ଯେଉଁ କୁଚ ଯୁଗଳ ଦେଖାଯାଉଅଛି, ତାହା ମୋ ହାତକୁ ଦେଲେ ତଟକା କି ପାଚିଲା ମୁଁ ପରୀକ୍ଷା କରି ଦେଖିବି । ଏଥି ସକାଶେ ତୁମ୍ଭେ ସେ ଦୁଇଟିର ମୂଲ୍ୟ କେତେ ନେବ, ମଧ୍ୟ ଖୋଲିକରି କହ ।

 

ସେ ବୋଲେ କମଳା ବିନା ମୋ କମଳା

ଅତି ଯତ୍ନେ ବଢ଼ି ଅଛି

ଅମଳା କମଳା ସଜ ମେଳା ଦେଖ

ବାସ ଫୁଟି ପ୍ରକାଶୁଛି ।୨।

 

ଅର୍ଥ—ଯୁବତୀ କହିଲା–ମୋ ଟୋକେଇରେ ଯେଉଁ କମଳା ଅଛି, ତାହା ତଟକା । ସେଥିରେ ପାଣି କିମ୍ବା ପବନ ବାଜି ତାହା ପଚିଯାଇ ନାହିଁ କି ଖରାପ ହୋଇ ନାହିଁ । ପାଣିର ମଳା ବା ଭଉଁରୀ ପବନ ଯୋଗେ ଯେପରି ପଦାର୍ଥକୁ ନଷ୍ଟ କରେ, ଏଥିରେ ତାହା ଲାଗି ନାହିଁ । ଏହି କମଳାକୁ ମୁଁ ଅତି ଯତ୍ନରେ ମୋ ନିଜ ଗଛରେ ବଢ଼ାଇଅଛି । କମଳା (ତଟକା) ରହିଥିବାର ବାସ ବାସନା ଚହଟୁଛି । ଏପରି କମଳା କେଉଁଠି ପାଇବ ନାହିଁ ।

 

ଅନ୍ୟାର୍ଥ—ସେ ଯୁବତୀ ଏ ରସିକ ଲମ୍ପଟ ପୁରୁଷର କଥା ବୁଝି ପାରି କହିଲା–ଆଜିଯାଏ ମୋର ବକ୍ଷସ୍ଥ କମଳା ତୁଲ୍ୟ କୁଚଯୁଗଳ କୌଣସି ପୁରୁଷର ହସ୍ତ ଦ୍ଵାରା ଧରାଯାଇ ମଳା ମର୍ଦ୍ଦନ ହୋଇନାହିଁ । ତେଣୁ ସେ କମଳାରୂପୀ କୁଚ ସ୍ଵାଭାବିକ ଅବସ୍ଥାରେ ରହିଅଛି । ସେହି କୁଚରୂପକ କମଳା ମୋ ବକ୍ଷରେ ରହିଥିବାରୁ, ମୁଁ ଯେଉଁ ବସ୍ତ୍ର ପିନ୍ଧିଛି, ସେ ବସ୍ତ୍ରକୁ ଠେଲିଦେଇ ଭଲଭାବରେ ଉପରକୁ ଫୁଟି ଦିଶୁଥିବାରୁ ତୁମ୍ଭ ଭଳି ପୁରୁଷ ଦେଖିଲେ ଛାଡ଼ି ପାରିବେ ନାହିଁ ।

 

 

ନିରସ ହୋଇବ ବୋଲି ମୋ କମଳା

ନୀରସ ମୂଲ୍ୟ ନୋହିବ

କରକଶ ହେଇ ନାହିଁ ମୋ କମଳା

କରକଶ ମୂଲ୍ୟ ହେବ ।୩।

 

ଅର୍ଥ—ମୋର ଏହି କମଳା ପୂର୍ଣ୍ଣଭାବରେ ପଚିଯାଇ, କ୍ରମେ କ୍ରମେ ତା ଭିତରେ ଯେଉଁ ରସ ଅଛି, ସେ ପାଣିଆ ନ ହୋଇ ଘନ ହୋଇଥିବାରୁ, ଅତ୍ୟନ୍ତ ମଧୁର ହେବ । ତେଣୁ କରି ଏହାର ମୂଲ୍ୟ ମଧୁର ଗୁଣ ହେତୁ କମ୍‍ ନ ହୋଇ ବେଶୀ ହେବ, କାରଣ ଜିନିଷର ମୂଲ୍ୟ ସବୁଠାରେ ମିଠା ଉପରେ ଠିକ୍ ହୁଏ । ଆହୁରି ମଧ୍ୟ ମୋର ଏହି କମଳା ଖରାରେ ଶୁଖିଯାଇ ଟାଣୁଆ ହୋଇ ନାହିଁ । କୌଣସି ନା କୌଣସି ଗ୍ରାହକ ଏହାକୁ ହାତରେ ଧରି ଚିପାଚିପି କରି ନୋତରା କରି ନାହିଁ । ତେଣୁ ଏ କମଳା ସ୍ଵାଭାବିକ ଅବସ୍ଥାରେ ଥିବାରୁ, ଏହାର ମୂଲ୍ୟ ନିଶ୍ଚୟ ଟାଣୁଆ ବା ବେଶୀ ହେବ ।

 

ଅନ୍ୟାର୍ଥ—ହେ ପୁରୁଷ, ମୋର ଏହି କୁଚ କମଳା ରସଶୂନ୍ୟ ହୋଇନାହିଁ । ମୁଁ ଯେବେ କୌଣସି ପୁରୁଷ ସଂସର୍ଗ କରି ଗର୍ଭଧାରିଣୀ ହୋଇ ପିଲା ଜନ୍ମ କରିଥାନ୍ତି, ତାହା ହେଲେ ଐଶ୍ଵରିକ ନିୟମରେ ମୋ ସ୍ତନରୁ ରସ ଦୁଧ ବାହାର ହୋଇ ସେ ରସ ପିଲା ଖାଇଥାନ୍ତି, ତେବେ ମୋ ସ୍ତନ ଶିଥିଳ ହୋଇଥାନ୍ତା, ମାତ୍ର ମୁଁ ତ ତାହା କରି ନାହିଁ । ଆଜି ପର୍ଯ୍ୟନ୍ତ କୌଣସି ପୁରୁଷର ହାତ ମୋ ସ୍ତନକୁ ଛୁଇଁ ନ ଥିବାରୁ ଏହା ବେଶୀ ମୂଲ୍ୟ ହେବ ।

 

ଏବେ ନିଅ ମୂଲ୍ୟ କହି ଦେଉଅଛି

ଏ ବେନି ଅମୂଲ୍ୟ ହେବ

ଚନ୍ଦ୍ର କରେ ଥିଲେ ନୋହିବ କହୁଛି

ଚନ୍ଦ୍ର କରେ ଥିଲେ ହେବ ।୪।

 

ଅର୍ଥ—ହେ ପୁରୁଷ ! ଏବେ ମୋର ଏ ଯୋଡ଼ି କମଳାର ମୂଲ୍ୟ କହି ଦେଉଅଛି । ତାହା ଏବେ ବି ଅମୂଲ୍ୟ ହେବ, ଅର୍ଥାତ୍ ମୂଲ ଦେଇ ପାରିବ କି ନାହିଁ ମୋର ସନ୍ଦେହ । ଯେବେ ପାରିବ ତେବେ କିଣିନେବ । ଚନ୍ଦ୍ର (ଟଙ୍କା) ଯେବେ ହାତରେ ଅଛି (କରେ-ହାତରେ) ତେବେ ମୂଲ୍ୟ କର, ନ ହେଲେ ଅକାରଣରେ ମୂଲ୍ୟ କରି ଲାଭ କ’ଣ ? (ଚନ୍ଦ୍ରକରେ) ଟଙ୍କା ବା ସୁନା, ହିରାଦୀ ରତ୍ନ ବା ଗହଣା ଯାହା ଦେଇ ଏ କମଳା ନେଇ ପାରିବ ।

 

ଅନ୍ୟାର୍ଥ—ହେ ପୁରୁଷ ! ତୁମ୍ଭ କଥାରୁ ଜଣାଯାଉଛି, ତୁମ୍ଭେ ଜଣେ ବୀଟପୁରୁଷ । ଯାହାହେଉ, ତୁମ୍ଭେ ମୋ କୁଚ କମଳା ସହ ମୋତେ ଯେବେ ଭୋଗ କରିବାର ଇଚ୍ଛା ଥାଏ, ତେବେ ମୁଁ କମଳା ଯୋଡ଼ିକ ତୁମ୍ଭ ହାତରେ ଧରିବା ସକାଶେ ଦେଉଅଛି । ମାତ୍ର ଏହା ହେଲେ ଅଧିକ ମୂଲ୍ୟ ତୁମ୍ଭକୁ ହେବାକୁ ହେବ । ଯେବେ ଚନ୍ଦ୍ରକଳା ତୁମର ଆଜି ମୁଣ୍ଡରେ (କ’ରେ) ଥିବ, ତେବେ ଏ କମଳା ଧରି ତୁମ୍ଭେ ପ୍ରୀତି ଭଲ ଭାବରେ କରି ପାରିବ ନାହିଁ । ମାତ୍ର ଯେବେ ଚାନ୍ଦିନୀ ରାତି ହୋଇଥିବ ତେବେ ଏ ଯୋଡ଼ି କମଳା ରୂପକ କୁଚ ମର୍ଦ୍ଦନ କରି ମୋ ସହିତ କାମକ୍ରୀଡ଼ା କରି ପାରିବ । ହେଲେ, ଆଗେ ଟଙ୍କା, ମୋହର, ସୁନା ହିରାଦୀ ଅଷ୍ଟରତ୍ନ ହାର ଦିଅ । ତୁମ୍ଭେ ଏହାର ପ୍ରଥମ ଗ୍ରାହକ ।

 

ତାମ୍ବୂଳି ବନିତା ମନ୍ଦହାସ ଦେଖି

କେ କହେ ମୃଦୁ ବଚନ

ପସରା ଉପର ପାନ ଶୁଖୁଅଛି

ଦିଅ ତ ଅଧର ପାନ ।୫।

ଅର୍ଥ—ସେହି ରସିକ ପୁରୁଷ ଏଠାରୁ ଯାଇ ପାନରାଣୀ ପାଖରେ ପହଞ୍ଚି ତାକୁ କହିଲା–ତୁମ୍ଭ ଟୋକେଇର ଉପର ପାନ ତ ଶୁଖିଲା ଦିଶୁଛି, କାହିଁକି ଶୁଖାଇ ଦେଉଛ ! ତୁମ୍ଭେ ପାନ ଟୋକେଇ ଅଧରୁ ପାନ ବାହାର କରି ମୋତେ ଦେବ ।

ଅନ୍ୟାର୍ଥ—ହେ ପାନରାଣୀ ! ତୋର ଶରୀର ପାନ ଟୋକେଇ ପରି ଅଟେ । ମୁଁ ମନେ କରୁଛି, ତାକୁ ପାନ (ଭୋଗ କରିବାକୁ) କରିବାକୁ କେତେକ ଇଚ୍ଛା କରନ୍ତେ ; ତାହା ସୁଖକର ହେଲେ ମଧ୍ୟ ତୋ ଅଧର ବା ଓଷ୍ଠରେ ଯେ ଅମୃତ ଅଛି, ତାହା ମୋତେ ପାନ କରିବାକୁ ବା ଚୁମ୍ବନ ଦେବାକୁ ଦିଅ ।

ନବ ରମଣୀ ଛଇଳ ମଣି ମଣି

କହେ ଭଙ୍ଗୀ ଇଙ୍ଗିତରେ

ଅଛି ନିବିଡ଼ିଆ କାଢ଼ିଦେବି ପୁଷ୍ପ

ଜାତିଫଳ ସହିତରେ ।୬।

 

ଅର୍ଥ—ସେହି ପାନରାଣୀ ନୂଆ ହୋଇ ଯୁବତୀ ହୋଇଛି, ଅର୍ଥାତ୍ ବଡ଼ ହୋଇଛି, ପୁଣି ସେଥିରେ ସେ ଛଟକିନୀ ଅଟେ । ତେଣୁ ସେ ଦେହ ମୁଣ୍ଡ ହଲାଇ, ଅବଲୟ କଲା ପରି କହିଲା–ତୁମ୍ଭକୁ ଭଲ ପାନ ଲୋଡ଼ା । ମୋ ପାଖରେ ବିଡ଼ିଆ ପାନ ଖିଲି ଅଛି । ସେଥିରେ ମୁଁ ଜାଇଫଳ ଓ ଲବଙ୍ଗ ଦେଇ ତୁମ୍ଭକୁ ଦେବି ।

 

ଅନ୍ୟାର୍ଥ—ସେ ପାନରାଣୀ ଏ ବୀଟପୁରୁଷର ଢଙ୍ଗ ଦେଖି, ସ୍ତ୍ରୀ ସୁଲଭ ଅଙ୍ଗଭଙ୍ଗୀ ଦେଖାଇ କହିଲା–ହେ ରସିକ ପୁରୁଷ ! ମୋର ପଲାଶ ତୁଲ୍ୟ ଦେହର ଅଧରେ (ନିବିଡ଼ିଆ) ଲୁଗା ଢଙ୍କା ଯାଇଅଛି । ଯେବେ ତୁମ୍ଭେ ଇଚ୍ଛା କର, ତେବେ ସେ ଲୁଗାକୁ ଫିଟାଇ ଦେଖ ସେଠାରେ ଯେଉଁ ଜନନେନ୍ଦ୍ରିୟ ଅଛି, ସେଥିରୁ ପୁଷ୍ପବତୀ ହେବାକୁ ହୁଏ । ତାହାର ଉନ୍ମାଦନା ଯେଉଁଠାରୁ ଜାତ ହୁଏ, ଅର୍ଥାତ୍ କୁଚରୁ–ମୁଁ ତାହା ଦେବାକୁ ରାଜି ଅଛି ।

 

ସେ ବୋଲଇ ତୋର ପାନ ପତରରେ

କି ମିଶିଲେ ହେବ ରଙ୍ଗ

ସେ ବୋଲଇ ମୋର ବଡ଼ ଅନୁରାଗ

ବାଳତରୁଣର ସଙ୍ଗ ।୭।

 

ଅର୍ଥ—ଏ କଥା ଶୁଣି ସେ ପୁରୁଷ କହିଲା–ତୋରି ପାନ ପତ୍ରରେ କ’ଣ ମିଶାଇଲେ ଲାଲ ହେବ, ଅର୍ଥାତ୍ ଖାଇଲେ ପାଟି ନାଲିଆ ହେବ । ଏ କଥା ଶୁଣି ପାନରାଣୀ କହିଲା–(ବାଳ ତରୁଣ) ଖଇର ପକାଇଲେ ନାଲିରଙ୍ଗ ଦେଖାଯାଏ । ସେଥିରେ ମୋର ଭାରି ଶ୍ରଦ୍ଧା ।

 

ଅନ୍ୟାର୍ଥ—ପୁରୁଷ କହିଲା–ତୋର ଯେ ପାନ ପତ୍ର ତୁଲ୍ୟ ଜନନେନ୍ଦ୍ରିୟରେ କ’ଣ ମିଶାଇଲେ ରଙ୍ଗିମା ଦିଶେ । ଯୁବତୀ ଉତ୍ତର ଦେଲା–ଖଇରରୂପୀ ତରୁଣମାନଙ୍କ ସଂଯୋଗରେ ମୋର ଅଧିକ ଶ୍ରଦ୍ଧା ହୁଏ ।

 

ମାଳାକାର ବାଳୀ ପାଶରେ କେ ମିଳି

କହଇ ହରଷ ଚିତ୍ତେ

ତୋହର କୁସୁମ ପ୍ରକାଶ ହୋଇଲେ

ଆଗହୁଁ ତୁ ଦେବୁ ମୋତେ ।୮।

ଅର୍ଥ—ପୁଣି ସେ ପୁରୁଷ ମାଲୁଣୀ ପାଖକୁ ଯାଇ ଖୁସିରେ କହିଲା–ତୋର ବଗିଚାରେ ଫୁଲ ପ୍ରଥମେ ଫୁଟିଲେ ତାକୁ ତୁ ମୋତେ ଦେବୁ ।

ଅନ୍ୟାର୍ଥ—ସେ ପୁରୁଷ ମାଲୁଣୀକୁ କହିଲା–ତୁ ପ୍ରଥମେ ପୁଷ୍ପବତୀ ହେଲେ ମୋତେ ସମ୍ବାଦ ଦେବୁ । ମୁଁ ଯେପରି ପ୍ରଥମେ ସମ୍ଭୋଗ କରିବି ।

ସେ ବୋଲେ ନାଗର ଦିବସ ହୋଇଛି

ରାତ୍ରକୁ ହେବ ଉଲ୍ଲାସ

ଭ୍ରମର ବିହାର ନ କରୁ ଆସିବ

କୁସୁମରେ ଥିବ ବାସ ।୯।

ଅର୍ଥ—ପୁରୁଷର କଥା ଶୁଣି ମାଲୁଣୀ କହିଲା–ହେ ନାଗର, ବର୍ତ୍ତମାନ ଦିନ । ମୋର ବଗିଚାରେ ଯେ ସବୁ ଫୁଲ ଲତା ଅଛି, ସେ ସବୁ ରାତିରେ ଖୁସିରେ ଫୁଟେ । ସନ୍ଧ୍ୟା ଗଡ଼ିଗଲା ପରେ ଯେଉଁ ଭଅଁରମାନେ ମଧୁ ଆଶାରେ ଆସନ୍ତି । ତୁମ୍ଭେ ଯେବେ ତା ଆଗରୁ ଆସିପାରିବ, ତେବେ ତଟକା ଫୁଟିଥିବା ଫୁଲର ବାସନା ପାଇପାରିବ ।

ଅନ୍ୟାର୍ଥ—ସେ ମାଲୁଣୀ ବଡ଼ ରସିକିନୀ । ତେଣୁ ସେ ରହସ୍ୟରେ କହିଲା–ହେ ନାଗର ତୁମେ ଜାଣ ଦିନରେ ସ୍ତ୍ରୀସମ୍ଭୋଗ ନିଷିଦ୍ଧ । ତେଣୁ ରାତି ହେଲେ ତୁମେ ଯେବେ ପ୍ରଥମରେ ମୋ ପାଖକୁ ଆସିବ, ତେବେ ମୁଁ ତୁମ୍ଭକୁ କାମକ୍ରୀଡ଼ାରେ ସନ୍ତୋଷ କରି ପାରିବି । ସାବଧାନ, କେହି ନ ଆସିବା ପୂର୍ବରୁ ତୁମକୁ ଆସିବାକୁ ହେବ; କାରଣ ଅଗ୍ନିରେ ପତଙ୍ଗ ପଡ଼ିଲା ପରି ପୁରୁଷର ସ୍ପର୍ଶରେ ନାରୀର ପୁଷ୍ପ ପ୍ରସ୍ପୁଟିତ ହୋଇ ରୋମାଞ୍ଚ ହୁଏ ।

କୁରାଳ ବଧୂକୁ କେ ବୋଲଇ ତନୁ

କି ହୁଏ ସ୍ମର ତାପରେ

ମୂଲ୍ୟ ଦେଇ ପାଣି ପୂରାଇ ଦିଅଇ

ତୁମ୍ଭେ ଥରେ ଉରଜରେ ।୧୦।

ଅର୍ଥ—ସେହି ରସିକ ପୁରୁଷ କୁରାଳବଧୂ (କୁମ୍ଭାରୁଣୀ) କୁ କହିଲା–ମୋର (ତନୁ) ଦେହ (ସ୍ମର ତାପରେ) ସୂର୍ଯ୍ୟଙ୍କ ପ୍ରଖର କିରଣ ତେଜରେ କ’ଣ ହୋଇ ଯାଉଛି, ଅର୍ଥାତ୍ ଅଧିକ ଖରା ହେତୁ ମୋର ମନ ଉଚ୍ଚାଟଲାଗୁଛି । ତୁମ୍ଭର ଏ ଯେଉଁ ଛାତି ପାଖରେ (କୁମ୍ଭ) ମାଠିଆ ରଖିଛ, ତାହା ମୋତେ ଦେଲେ, ମୁଁ ସେଥିରେ ପାଣି ପୂରାଇ ଫଟା କି କଣା କି ଭଲ ଦେଖିଲେ ତୁମ୍ଭକୁ ସେ ମାଠିଆର ମୂଲ୍ୟ ଦେବି ।

ଅନ୍ୟାର୍ଥ—ସେ ପୁରୁଷ କୁମ୍ଭାରୁଣୀ ପାଖରେ ପହଞ୍ଚି ତାକୁ କହିଲା, (ସ୍ମରତାପରେ) କାମପୀଡ଼ାରେ ମୋ ମନ ଓ ଦେହ ଥୟହେଉ ନାହିଁ । ଏହି କାମ ଦାଉରୁ ରକ୍ଷା ପାଇବାକୁ ତୁମ୍ଭ ଛାତିରେ ମାଠିଆରୂପକ ଯେଉଁ କୁଚ ଅଛି, ତାକୁ ମୋ ହାତରେ ଧରିବାକୁ ଦେଲେ, ତା ସକାଶେ ତୁମ୍ଭେ ଯାହା ଚାହିଁବ, ଯେତେ ଧନରତ୍ନ ଚାହିଁବ, ମୁଁ ତାହା ଦେବି ।

ସେ ବୋଲଇ ଏ ତ ବଡ଼ ଭାଣ୍ଡପଣ

ମୂଲ୍ୟ କେତେ କର ଏବେ

ତହିଁକି ନ ଡର ଜୀବନ ରହିବ

ନିଅ ଘଟ ଅବିଳମ୍ବେ ।୧୧।

 

ଅର୍ଥ—ଏହା ଶୁଣି କୁମ୍ଭାରୁଣୀ କହିଲା –ଯେଉଁ ଭାଣ୍ଡ ବା ପାତ୍ର, ଏ ଖୁବ୍ ବଡ଼ । ତୁମ୍ଭେ କେତେ ମୂଲାମୂଲି କରୁଛ ? ପଇସାକୁ ଡର ନାହିଁ । ଆଗେ ପ୍ରାଣକୁ ଦେଖ । ଏ ପାତ୍ରରେ ଜଳ ନେଲେ ତୁମ୍ଭର ଜୀବନ ଶାନ୍ତ ହେବ । ବିଳମ୍ବ ନ କରି ଧନ ଦେଇ ଶୀଘ୍ର କିଣିନିଅ ।

 

ଅନ୍ୟାର୍ଥ—ସେ କୁମ୍ଭାରୁଣୀ ଏକେ ରସିକା । ସେ ଏ ବୀଟପୁରୁଷର ସ୍ଵଭାବ ଦେଖି ତାର କାମଶକ୍ତି ଜାତ ହେବାରୁ, ସେ କହିଲା ହେ ନାଗର ! ତୁମେ କ’ଣ ଠକ ହେବ କି ? ମୋତେ ସେହିପରି ଜଣାଯାଉଛି । ଯେବେ ତୁମ୍ଭର ପ୍ରବଳ ଇଚ୍ଛା ଅଛି; ତେବେ ଧନରତ୍ନକୁ ଡର ନାହିଁ । ମୁଁ କହୁଅଛି, ଆଗେ ମୋର ବକ୍ଷ କଳସ ବା କୁଚକୁ ହସ୍ତରେ ମର୍ଦ୍ଦନ କରି ମୋର କାମପୀଡ଼ାକୁ ଦୂର କର । ବିଳମ୍ବ କଲେ ଏ ଦେହ ସମ୍ଭାଳି ହେବ ନାହିଁ । ତେଣିକି ତୁମ୍ଭେ ଓ ମୁଁ ଦୁହେଁ ପରିତୃପ୍ତ ହେଲେ ମୂଲ୍ୟ କଥା ରହିବ ନାହିଁ ।

 

କଂସାରୀ ବାମାକୁ କେ ବୋଲଇ ଦେଖା

କେମନ୍ତ ପାତ୍ର ହୋଇଛି

ଆଗ କରି ମୂଲ୍ୟ ସମ୍ଭବ କରିବା

ଉତ୍ତମ ଦିନ ଯାଉଛି ।୧୨।

 

ଅର୍ଥ—ସେ ପୁରୁଷ କୁମ୍ଭାରୁଣୀ ପାଖରୁ ଯାଇ କଂସାରୁଣୀ ପାଖରେ ପହଞ୍ଚି ତାକୁ କହିଲା–ତୁମ୍ଭର (ପାତ୍ର) କଂସାବାସନ ଇତ୍ୟାଦି କିପରି ହୋଇଛି ମୋତେ ଦେଖାଅ । ଆଜି ଭଲଦିନ ଥିବାରୁ ମୁଁ କିଣିବା ସକାଶେ ଆସିଥିଲି । ଦିନ ତ ସରିବା ଉପରେ ହେଲାଣି । ତେଣୁ ପ୍ରଥମେ ବାସନ କୁସନର ଦାମ୍ ଠିକ୍ କରିଦେବା ଭଲ ହେବ ।

ଅନ୍ୟାର୍ଥ—ସେ ପୁରୁଷ କଂସାରୁଣୀକି କହିଲା–ତୋର (ପାତ୍ର) ମୋତେ ଦେଖାଅ । ମୋର ପ୍ରାଣର ଉପଯୁକ୍ତ ବେଳ (ଯୁବା ସମୟତିକ୍ରମ) କମିଯାଉଛି । ତେଣୁ ତୁମ୍ଭର କାମ ମନ୍ଦିରକୁ ଦେଲେ, ମୁଁ ତାହା ଭୋଗ କରିବି । ତାହା ପରେ ତୁମ୍ଭେ ଯାହା ଚାହିଁବ ସେ ମୂଲ୍ୟ ଦେବି; କିନ୍ତୁ ମୂଲ୍ୟ ଆଗ ସ୍ଥିର କରିଦେଲେ ଭଲ ହେବ ।

ସେ ବୋଲଇ ଏଇ ପାତ୍ର କିମ୍ପା ନେବ

କୁମ୍ଭ ହିଁ ମଜାଇ ନିଅ

ଆଗକରି ମୂଲ୍ୟ ଦିଅ ହୋ ନାଗର

ଯେ ବାସନ ପାଲଟାଅ ।୧୩।

ଅର୍ଥ—ସେହି ପୁରୁଷ କଂସାରୀଘର ସ୍ତ୍ରୀ ବା କଂସାରୁଣୀ କହିଲା–ତୁମ୍ଭେ ଖାଲି ବାସନ ନେବ କାହିଁକି, ତୁମ୍ଭ ପାଖରେ ଥିବା (କୁମ୍ଭ) ମାଠିଆକୁ ଏଠାରେ ମଜାଇ କରି ନିଅ ଏବଂ ଯେଉଁ ବାସନଟି ଫେରାଇ ଦେବାକୁ କହୁଛ, ଆଗକରି ତା’ର ମୂଲ୍ୟ ମୋତେ ଦିଅ ।

ଅନ୍ୟାର୍ଥ—ସେହି ନାଗରୀ ପୁରୁଷକୁ ନାଗର କଂସାରୁଣୀ କହିଲା, ତୁମ୍ଭେ ଖାଲି ମୋର କାମକେଳି ସ୍ଥାନଟିକୁ ନେବ କାହିଁକି, ତା ସଙ୍ଗରେ ମୋର ମାଠିଆରୂପୀ କୁଚକୁ ଦେଇ ମର୍ଦ୍ଦନ କରି, ମୋର ପିନ୍ଧିଲା ଲୁଗାକୁ ଖସାଇ ଦେଇ, ତୁମ୍ଭର ମନ ତୃପ୍ତିପରେ ମୋତେ ଉପଯୁକ୍ତ ଭାବରେ ମୂଲ୍ୟ (ଧନତ୍ନାଦି) ଦେଇ ମୋର ପିନ୍ଧିବା (ବାସ) ଲୁଗାକୁ ପିନ୍ଧାଇ ଦିଅ । ତେବେ ତୁମର ରସିକପଣ ଜଣାଯିବ ।

ପାଟରାଣୀ ପାଶେ କେ ବୋଲଇ ତୋର

ଏ ବରତ ମୂଲ୍ୟ କେତେ

ସେ ବୋଲଇ ଏ ବରତ ପାଟ ସୁନା

ଜରୀ କାଢ଼ି ଦେଖ ଯେତେ ।୧୪।

ଅର୍ଥ—ତହୁଁ ସେ ପୁରୁଷ ପାଟରାଣୀ ପାଖରେ ପହଞ୍ଚି, ପାଟରାଣୀକୁ କହିଲା–ତୋର ଏ ଯେଉଁ ବରତ ଅଛି, ତା’ର ମୂଲ୍ୟ କେତେ ନେବୁ ? ଏ କଥା ଶୁଣି ପାଟରାଣୀ କହିଲା–ମୋର ଏ ବରତ ପାଟସୁତାରେ ତିଆରି ହୋଇଛି, ପୁଣି ଏଥିରେ ସୁନାଜରି ଲାଗିଛି । ଇଚ୍ଛା ହେଲେ ଜରି କଢ଼ି, ସୁନା ଅଛି କି ନାହିଁ, ପରୀକ୍ଷା କରିନିଅ ।

ଅନ୍ୟାର୍ଥ—ସେ ଲମ୍ଫଟ ପୁରୁଷ ପାଟରାଣୀକି କହିଲା–(ଏ ବରତ) ଏବେ ତୋ ସଙ୍ଗରେ ରତି କଲେ, କେତେ ମୂଲ୍ୟ ଦେବାକୁ ପଡ଼ିବ କହ । ଏହାଶୁଣି ପାଟରାଣୀ କହିଲା–ଯେବେ ତୁମର ଏତେ ଇଛା, ତେବେ ସୁନା ଜରିଲଗା ପାଟ ମୋ ସକାଶେ ବାହାର କରି ଆଣ । ସେ ପାଟର ମୂଲ୍ୟ କେତେ ହେବ ତାହା ଦେଖି ବିଚାର କରିନିଅ ।

ବଣିକ ବଧୂକୁ କେ ବୋଲଇ ଆଗେ

ଶୁଣ ନବ ରସବତୀ

 

 

ଭଲ କରି କାଲି କନକ ଗଉରୀ

ଦେବୁ ଦୁଇ ଚାରି ରତି ।୧୫।

ଅର୍ଥ—ସେହି ପୁରୁଷ କଂସାରୀ ନାରୀ ପାଖକୁ ଯାଇ ବଣିଆ ସ୍ତ୍ରୀ ପାଖରେ ପହଞ୍ଚିଲା । ସେ ବଣିଆଣୀକୁ କହିଲା–ଆଗୋ ନୂଆ ରସିକିନୀ, ସୁବର୍ଣ୍ଣଦେହି ଗୋରୀ ! ମୋତେ କାଲି ଦୁଇଚାରି ରାତି ଗୋଟିଏ ଗୌରୀ ପ୍ରତିମା ଭଲ ସୁନାରେ ଗଢ଼ାଇ ଦେବୁ ।

ଅନ୍ୟାର୍ଥ—ସେହି, ନାଗର ପୁରୁଷ ବଣିଆଣୀ ପାଖରେ ପହଞ୍ଚି ତାକୁ କହିଲା–ହେ ସୁବର୍ଣ୍ଣବର୍ଣ୍ଣା ଗୋରୀ ! କାଲି ତୁମ ସଙ୍ଗରେ ଦୁଇ ଚାରି ଥର ରତି ରଙ୍ଗ କରିବାକୁ ଯୋର ଇଚ୍ଛା ହେଉଅଛି ।

ଦୁଇ ଚାରି ରତି ଥାଉ ହୋ ନାଗର

ରତିକର ମୂଲ୍ୟ ଦିଅ

ମୋହର କଟାକ୍ଷ ସବୁଠାରୁ ବଡ଼

ତୁଳି ପକାଇଣ ନିଅ ।୧୬।

 

ଅର୍ଥ—ସେ ରସିକ ପୁରୁଷକୁ ବଣିଆଣୀ କହିଲା –ଦୁଇ ଚାରି ରତି ସୁନା ତ ବେଶୀ ହୋଇ ଯାଉଛି, ଆଗ ଗୋଟିଏ ରତିର ମୂଲ୍ୟ ଦିଅ । ତୁମ୍ଭେ ନିଜେ ଅନାଇ କରି ଦେଖ (କଟାକ୍ଷ) ଓଜନ କରିବାରେ ବଟକରା ବା ମୁଦ୍ରା (ମୋହର) ବଜାରରେ ଥିବା କୌଣସିଠାରୁ କମ୍‍ ନୁହେଁ ବରଂ ବଡ଼ । ସେଥିରେ ସୁନାକୁ ତଉଳି ଦେଇ ଦେଖିକରି ନିଅ ।

 

ଅନ୍ୟାର୍ଥ—ସେ ରସିକ ପୁରୁଷକୁ ବଣିଆଣୀ କହିଲା–ହେ ରସିକ ! ଦୁଇଚାରି ରତିକ୍ରୀଡ଼ା କରିବା ତ ଦୂରର କଥା, ପ୍ରଥମେ ମୋ ସହିତରେ ଥରେ ରତି କଲେ ତୁମର ମନ ତୃପ୍ତ ହେବ । ଆଉଥରେ ଇଚ୍ଛା କରିବ ନାହିଁ । ମୋର ଯେ ଚାହାଣୀ ସବୁ ସ୍ତ୍ରୀଠାରୁ ଆକର୍ଷଣ ଶକ୍ତିରେ ଅଧିକ । ଯେବେ ତାହାଭୋଗ କରିବାର ଇଚ୍ଛା ଥାଏ, ଆଗେ ତୁଳା ଶେଯ ପକାଇ ମୋତେ ନେଇ ଭୋଗ କର । ସେତେବେଳେ ମୋ ରତିର କେତେ ମୂଲ, ତାହା ବଳେ ଜାଣିବ ।

 

ଗୁଡ଼ିଆ ବଧୂକୁ କେ ବୋଲଇ ତୋର

ସାଚି ସେର କେତେ ମୂଲ୍ୟ

ସେ ବୋଲେ ମୋ ସାଚି ନମ୍ବର ବିହୁନେ

ଏକା ହୁଏ ତୁଲ୍ୟ ତୁଲ୍ୟ ।୧୭।

 

ଅର୍ଥ—ତହୁଁ ସେ ବୀଟପୁରୁଷ ବଣିଆଣୀ ପାଖରୁ ଯାଇ, ଗୁଡ଼ିଆଣୀ ପାଖରେ ପହଞ୍ଚି କହିଲା–ହେ ଗୁଡ଼ିଆଣୀ ! ତୋ ପସରାରେ ଯେଉଁ (ସାଚି) କନ୍ଦ ଅଛି, ସେ କନ୍ଦ ସେରକର ମୂଲ୍ୟ କେତେ । ଏହା ଶୁଣି ଗୁଡ଼ିଆଣୀ କହିଲା ମୋର ଯେ ମୁଣ୍ଡା କନ୍ଦ ଚେକା ହୋଇଛି, ତାର ମୂଲ୍ୟ ଯେତେ, ସେ ମୁଣ୍ଡାରୁ ଝଡ଼ିଯାଇ ଯାହା ପଡ଼ିଯାଇଛି ତାହାର ମଧ୍ୟ ମୂଲ୍ୟ ସେତିକି ।

 

ଅନ୍ୟାର୍ଥ—ସେହି ଜାରପୁରୁଷ ଗୁଡ଼ିଆଣୀ ପାଖକୁ ଯାଇ ତାକୁ କହିଲା, ତୋ (ସାଚି) ବିପରୀତ ରତିର ମୂଲ୍ୟ କେତେ ହେବ ? ତହୁଁ ଗୁଡ଼ିଆଣୀ କହିଲା–ମୁଁ ଦମ୍ଭକରି କହୁଛି, ଯେ କୌଣସି ପ୍ରକାର ରତିକ୍ରୀଡ଼ାର ସୁଖ ସମାନ । ବିପରୀତ ରତିର ମୂଲ୍ୟ ଅଲଗା ନୁହେଁ ।

 

 

ସାଚି ଦେଖିବାର ଏମନ୍ତ ନୁହଇ

ବାସବପୁରେ ନଥିବ

କେମନ୍ତ ପଦାର୍ଥ ଅଙ୍ଗୀକାର କଲେ

ତେବେ ନୟନେ ଦେଖିବ ।୧୮।

 

ଅର୍ଥ—ସେ ଗୁଡ଼ିଆଣୀ ସେ ଜାରଜ ପୁରୁଷକୁ କହିଲା–ମୋ ଦୋକାନରେ ସେ କନ୍ଦମୁଣ୍ଡା ଅଛି, ତାହା ସାଧାରଣରେ ମିଳେ ନାହିଁ । ଏପରିକି ଇନ୍ଦ୍ର ଭୁବନ ସ୍ୱର୍ଗରେ ମଧ୍ୟ ନଥିବ । ତୁମେ ଯେବେ ସେ କନ୍ଦ ଚକି ନେବାକୁ ରାଜିଥାଅ, ତେବେ ତାହା ଆଖିରେ ଦେଖ ଏବଂ ତା’ର ସୌନ୍ଦର୍ଯ୍ୟପଣ କିପରି ମନରେ ଭାବ ।

 

ଅନ୍ୟାର୍ଥ—ଗୁଡ଼ିଆଣୀ ସେ ବୀଟପୁରୁଷକୁ ଉତ୍ତର ଦେଲା ତୁମେ ଯେ ବିପରୀତ ବକ୍ଷର ରତିକ୍ରୀଡ଼ା କଥା କହୁଛ, ଏପରି ଅବସ୍ଥାରେ ତାହା ଭୋଗ କରି ହୁଏ ନାହିଁ । ଯେଉଁ ସମୟରେ ମୋ ଦେହରେ ଲୁଗା ନ ଥିବ, ମୁଁ ପୁରା ଲଙ୍ଗଳା ହୋଇଯିବି, ସେତେବେଳେ ସେପରି ରତିକ୍ରୀଡ଼ା ଭୋଗ କରି ପାରିବ । ଜାଣିରଖ, ସେପରି ମୂଲ୍ୟବାନ ପଦାର୍ଥ ମୁଁ ନପାଇଲେ ତୁମ୍ଭେ ସେତେବେଳର ଅବସ୍ଥା ତୁମ୍ଭ ନିଜ ଆଖିରେ ଦେଖି ପାରିବ ନାହିଁ ।

 

ତୁମ୍ଭେ ଯେଉଁ ରସ ଲୋଡ଼ୁଛ ନାଗର

ସେ ରସ ମୋଠାରେ ନାହିଁ

ମୋ ରସ ସମସ୍ତ ରସରୁ ସରସ

ମୂଲ୍ୟ ହିଁ ଦେଉଛି କହି ।୧୯।

 

ଅର୍ଥ—ସେ ଗୁଡ଼ିଆଣୀ ପୁଣି ସେ ପୁରୁଷକୁ କହିଲା–ହେ ନାଗର ! ତୁମ୍ଭେ ଯେଉଁ ରସ ଚାହୁଁଅଛ, ସେପରି ରସ ମୋ ପାଖରେ ନାହିଁ । ମୋ ପାଖରେ ଯେଉଁ ରସ ଅଛି, ସେ ରସ ସମସ୍ତ ରସଠାରୁ ଅଧିକ । ତା’ର ମୂଲ୍ୟ ଏବେ କହି ଦେଉଛି ।

 

ଅନ୍ୟାର୍ଥ—ସେହି ଗୁଡ଼ିଆଣୀ ସେ ବୀଟନାଗର ପୁରୁଷକୁ କହିଲା–ତୁମ୍ଭେ ଯେଉଁ ବିପରୀତ ରତିକ୍ରୀଡ଼ା ଚାହୁଁଛ, ସେପରି ସାଧାରଣ ବିପରୀତ ରତିକ୍ରୀଡ଼ା ମୋ ପାଖରେ ନାହିଁ । ମୋ ପାଖରେ ଯେଉଁ ବିପରୀତ ରତିକ୍ରୀଡ଼ାର ରସ ଅଛି, ତାହା ସମସ୍ତ ରମଣୀମାନଙ୍କର ବିପରୀତ ରତିକ୍ରୀଡ଼ାରୁ ଅଧିକ ଅଟେ । ତେଣୁ ଏବେ ତାର ମୂଲ୍ୟ କହୁଅଛି ଶୁଣ ।

 

ସେ ରସ ଆଗ ଟଙ୍କାଏ ହୋଇଥିଲା

ଏବେ ଅଧିକ ହୋଇବ

ରସ ଭୋଗ କଲା ଉତ୍ତାରୁ ରସିକ

ରହିଲା କଉଡ଼ି ଦେବ ।୨୦।

 

ଅର୍ଥ—ପୁଣି ସେହି ଗୁଡ଼ିଆଣୀ କହିଲା –ସେ ସାଚି ମୁଣ୍ଡା ଟଙ୍କାଟିଏ ହୋଇଥିଲା, ଏବେ ତାହା ବେଶୀ ହୋଇଯାଇଛି । ହେ ଗ୍ରାହକ ! ତୁମେ ସେ କନ୍ଦ ନେଇ ଭୋଗ କଲା ପରେ, ସେହି କନ୍ଦର ଉପଯୁକ୍ତ ମୂଲ୍ୟ ଦେବ ।

 

ଅନ୍ୟାର୍ଥ—ସେ ଗୁଡ଼ିଆଣୀ ସେ କାମୁକ ପୁରୁଷକୁ କହିଲା–ସେ ବିପରୀତ ରତି କ୍ରୀଡ଼ାରେ ଯେଉଁ ରସ ଅନୁଭୂତ ହୁଏ ତାହା ମୋଠାରେ ଅଧିକ ପରିମାଣରେ ପାଇବ । ଏହା ସଙ୍ଗେ ସମାନ ହେବାକୁ କୌଣସି ସ୍ତ୍ରୀ ଉପଯୁକ୍ତ ବୋଲି ମୁଁ ଭାବୁ ନାହିଁ । ତେଣୁ ମୋର ଶେଷ କଥା, ଅଣ୍ଟାରେ ଆଣ୍ଟଥିଲେ କରି ପାରିବ, ନ ହେଲେ ସିଧା ଫେରିଯାଅ ।

 

ପାଞ୍ଚାଳ ନାରୀକି କେ ବୋଲଇ ବଡ଼

ହୋଇଛି ରୁଚକ ଫଳ

ଏଡ଼େ ଏଡ଼େ ଦୀଜ ପୁରରେ ତୁମ୍ଭର

ଅଛି ହିଁ କାହିଁରେ ନୀର ।୨୧।

 

ସେ ବୋଲେ କ୍ରମୁକ ଦିନରୁ ଏଥିରେ

ବହୁତ ରସ ହୁଅଇ

ଏବେ କାହିଁ ପାଇଁ ନୀରସ ହୋଇବି

ନିଅ ରସିକ ମୁଲାଇ । ୨୨ ।

 

ଅର୍ଥ—୨୧-୨୨–ପାଞ୍ଚାଳ ନାରୀ–ପାଞ୍ଚାଳ ଦେଶୀୟ ସ୍ତ୍ରୀ । ପାଞ୍ଚଳର ଆଧୁନିକ ନାମ ପଞ୍ଜାବ ।

 

ସେହି ବଜାରରେ ଜଣେ ପଞ୍ଜାବ ଦେଶୀୟା ସ୍ତ୍ରୀଲୋକ କେତେଗୁଡ଼ିଏ (କାଠର ତିଆରି) ଟଭାଲେମ୍ବୁ ଫଳ ଆଣି ବସିଥିଲା । ଏହି ବୀଟପୁରୁଷ ତା ପାଖକୁ ଯାଇ କହିଲା–ହେ ସୁନ୍ଦରୀ ! ତୁମ୍ଭ ଟୋକେଇରେ ଯେଉଁ ଟଭାଲେମ୍ବୁ ଅଛି ଏ ତ ବେଶ୍ ବଡ଼ ବଡ଼ ହୋଇଛି । ଏହା କ’ଣ ତୁମ୍ଭ ଘରେ ଅଛି ? ଏଥିରେ କ’ଣ ପାଣି ହୋଇଅଛି ? ଏ କଥା ଶୁଣି ସେ ସ୍ତ୍ରୀଲୋକ କହିଲା–ଶୁଣ, ଏ ଫଳ ଗୁଆ ପରି ହେଲା ଦିନୁ ଏଥିରେ ବହୁତ ରସ ଥାଏ । ଏବେ ତ ଏ ବଡ଼ ହେଲାଣି, ରସଭରା ହୋଇଛି । ତୁମ୍ଭର ଯେବେ ନେବାର ଥାଏ, ତେବେ ମୂଲ କରି ନେଇଯାଅ ।

 

ଅନ୍ୟାର୍ଥ—ସେ ବୀଟପୁରୁଷ ସେ ପଞ୍ଜାବୀ ସ୍ତ୍ରୀ ପାଖରେ ପହଞ୍ଚି କହିଲା–ତୁମ୍ଭର ଏ ବଡ଼ ବଡ଼ ଟଭାଲେମ୍ବୁ ପରି ଯେଉଁ କୁଚ ଦେଖାଯାଉଛି, ଏଥିରେ କ’ଣ ରସ ଉତ୍ପନ୍ନ ହେଲାଣି ? ଏହା ପୁରୁଷଙ୍କର ଭୋଗର ଉପଯୁକ୍ତ ହେଲାଣି ? ଏ କଥା ଶୁଣି ସେ ସ୍ତ୍ରୀଲୋକ କହିଲା–ଏହା ଯେତେବେଳ ଗୁଆ ପରି ହୋଇଥାଏ, ସେତେବେଳେ ଏଥିରେ କାମରସ ଥାଏ, ବର୍ତ୍ତମାନ ତ ବଡ଼ ହୋଇ ଟଭା ପରି ହେଲାଣି । ଏଥିରେ କାମୁକମାନଙ୍କୁ ଡହଳ ବିକଳ କରିବାକୁ ଶୃଙ୍ଗାର ରସ ପୂରି ରହିଛି । ଯେବେ ଭୋଗ କରିବାର ଇଚ୍ଛା ଥାଏ, ତେବେ ମୂଲ କରି ନେଇପାରିବ, ଅର୍ଥାତ୍ ଉପଯୁକ୍ତ ଧନ ଦେଲେ କାମ ରସ ଚାଖି ପାରିବ ।

 

କରିବ କି ଗଳା ହାର ମୋହ ମଧୁ

ସୁମନ ସେ ଯେବେ ଅଛି

କହୁଛି ଯଥାର୍ଥ ଏମନ୍ତ ପଦାର୍ଥ

ଭୋଗି କି ପାରିବ ମୂର୍ଚ୍ଛି ।୨୩।

 

ଅର୍ଥ—ସେହି ନାରୀ ପୁଣି କହିଲା –ତୁମ୍ଭେ ତୁମ୍ଭର ଭଲ ମନରେ ଯଦି ଏ ପ୍ରକାର ଚିନ୍ତା କରିଥାଅ, ତେବେ ଗଳାରେ ଫୁଲ ହାର ପକାଇ ସେହି ପୁଷ୍ପମଧୁ ସନ୍ତୋଷରେ ପାନ କରି ପାରିବ । ମୁଁ ପ୍ରକୃତରେ କହୁଛି, ଏପରି ପଦାର୍ଥ ତୁମ୍ଭେ ମୁର୍ଚ୍ଛି ପାରିବ କି ? ଅର୍ଥାତ୍ ଛାଡ଼ିପାରିବ ନାହିଁ ।

 

ଅନ୍ୟାର୍ଥ—ସେହି ନାଗରୀ ଉତ୍ତର ଦେଲା–ହେ ନାଗର । ଯେବେ ମୋ ଅଧର ମଧୁପାନ କରିବାକୁ ଇଚ୍ଛା କରିଛ, ମୋ ଓଷ୍ଠକୁ ଚୁମ୍ବନ କରି ସେଥିରୁ ଯେଉଁ ଅମୃତ ଝରେ, ତା ଖାଇବାକୁ ଇଚ୍ଛା କରିଛ, ତେବେ ମୋତେ ଆଲିଙ୍ଗନ କରି ଅର୍ଥାତ୍ କୋଳ କରି ବେକରେ ଫୁଲହାର ପରି ଲମ୍ବାଇ, ମୋର ବାହୁ କୁମ୍ଭ ଗଳାରେ ଜଡ଼ାଇ ମୋ ଓଷ୍ଠରେ ଅମୃତ ପିଅ । ତୁମେ କାମ ମଦରେ ମୋହିତ ହୋଇ ଏହା କରି ପାରିବ ତ ?

 

ଆଗୋ ନାରୀ କେଳୀ ନାରୀ ନାରିକେଳେ

ପଡ଼ିଲାଣି କଳାଶିରା

ସରିଗଲାଣି ତ ସୁରସ ସମୟ

ଅଛି କି ନାହିଁ ଗୋ ପରା ।୨୪।

 

ଅର୍ଥ—ସେହି ବୀଟପୁରୁଷ ନଡ଼ିଆ ବିକ୍ରି କରୁଥିବା ସ୍ତ୍ରୀ ପାଖରେ ପହଞ୍ଚି ତାକୁ କହିଲା–ମୋର ପଇଡ଼ ଦରକାର; କିନ୍ତୁ ତୋ ନଡ଼ିଆ ଟୋକେଇରେ ଦେଖୁଛି, ଯେଉଁ ସବୁ ନଡ଼ିଆ ଦେଖୁଛି, ସେଥିରେ କଳାଶିରା ପଡ଼ିଗଲାଣି । ସେ ସବୁ ପୋଖତ ହୋଇଗଲାଣି । ତେଣୁ ଏଥିରେ ଆଉ ପଇଡ଼ ପାଣିର ସୁଆଦ କି ଗୁଣ ନଥିବ ।

 

ଅନ୍ୟାର୍ଥ—ସେହି ବୀଟପୁରୁଷ ନଡ଼ିଆ ବିକୁଥିବା ସ୍ତ୍ରୀକୁ କହିଲା –ତୁମର ଯେ କୁଚ ନଡ଼ିଆ ପରି ହୋଇଛି ସେ ପାକଳ ହୋଇଗଲାଣି । କାହିଁକି ନା, ଯେଉଁ ସ୍ତ୍ରୀ ବ୍ୟଭିଚାର କରେ ତାର ସ୍ତନରେ କଳାଶିରା ଦେଖାଯାଏ । ତେଣୁ ଏହା କାହାର ଭୋଗ ହୋଇଛି କି ?

 

 

ସେ ବୋଲେ ନାଗର କେମନ୍ତ ଜାଣିଲ

ସୁରସ ଅଛି କି ନାହିଁ

ଜାଣିବ ଏଥି ପୟ ଥିବ ନ ଥିବ

କରରେ ଦେଖ ଝୁଲାଇ ।୨୫।

 

ଅର୍ଥ—ଜାରପୁରୁଷର ଏପରି କଥା ଶୁଣି ସେ ନଡ଼ିଆ ବିକାଳି ସ୍ତ୍ରୀ କହିଲା–ହେ ନାଗର, ମୋ ନଡ଼ିଆରେ ପାଣି ବା ରସ ଅଛି କି ନାହିଁ, ଏହା ତୁମ୍ଭ ହାତରେ ଧରି ବଜାଇ କରି ଦେଖି ନିଅ । ବୃଥାରେ ବାଜେ କଥା କାହିଁକି କହୁଛ ?

 

ଅନ୍ୟାର୍ଥ—ସେ ନଡ଼ିଆ ବିକାଳି ସ୍ତ୍ରୀ କହିଲା–ମୋର ଯେଉଁ କୁଚ ନଡ଼ିଆ ଅଛି, ତାହା ତୁମ୍ଭ ହାତରେ ଧର ଭଲ କରି ଆନ୍ଦୋଳନ କରି ଦେଖ–କୁଚକୁ ଧରିଲାକ୍ଷଣି କାମରସ ଉଦ୍ରେକ ହେଉଛି କି ନାହିଁ ଦେଖ ।

 

କାପୁଡ଼ି ବାମାକୁ କେ ବୋଲଇ ତୋର

ବସନ ଫିଟାଇ ଦେଖା

ଭଲ ଥାନ ଥିଲେ ଗଜ ମାପ କରି

କଉଡ଼ି କରିବା ଲେଖା ।୨୬।

 

ଅର୍ଥ—ସେ ବୀଟପୁରୁଷ ନଡ଼ିଆ ବିକାଳି ପାଖରୁ ଯାଇ, କାପେଡ଼ି ସ୍ତ୍ରୀର ଲୁଗା ଦୋକାନରେ ପହଞ୍ଚି ତାକୁ କହିଲା–ତୁମ ଗଣ୍ଠିରାରେ ଯେଉଁ ଲୁଗା ଅଛି, ତାହା ମୋତେ ଫିଟାଇ କରି ଦେଖାଅ । ଯେବେ ଭଲ ଥାନ ଲୁଗା ଥିବ, ଗଜରେ ମାପି କରି କେତେ ଦାମ୍ ହେବ ଠିକ୍ କରିବା ।

 

ଅନ୍ୟାର୍ଥ –ସେ ବୀଟପୁରୁଷ କାପେଡ଼ିଆଣୀ ପାଖରେ ପହଞ୍ଚି ତାକୁ କହିଲା–ତୁମ୍ଭଠାରେ ଯେଉଁ କାମ ଉଦ୍ରେକ ସ୍ଥାନ ଅଛି ତାହା ତୁମ୍ଭେ ସେ ଥାନରୁ ଲୁଗା କାଢ଼ି, ଫିଟାଇ ଦେଖାଅ । ମୁଁ ମୋର ଗଜଦ୍ଵାରା ତାହା ମାପି ଦେଖିଲା ପରେ ସେଥି ସକାଶେ କେତେ ମୂଲ୍ୟ ହେବ ସ୍ଥିର କରିବା-

 

ସେ ବୋଲଇ ମୋର ସୂତାରେ ଅମୂଲ୍ୟ

ହୋଇଛି କୁସୁମ ରଙ୍ଗ

କ୍ଷୀରୋଦରୀ ବେନି ଥାନ ଅଛି ଆଗେ

ସୁତନୁରେ କର ସଙ୍ଗ ।୨୭।

 

ଅର୍ଥ—ସେହି ଲମ୍ଫଟ ପୁରୁଷର କଥା ଶୁଣି ସେ କାପୋଡ଼ିଆଣୀ କହିଲା–ମୋର ଲୁଗା ଦେଖି କିଛି ଲାଭ ନାହିଁ । ମୋର ଲୁଗାରେ ସୂତା ଯେଉଁ ସବୁ କୁସୁମ ରଙ୍ଗରେ ରଙ୍ଗ କରାଯାଇଛି ତାହା କିପରି ସୁନ୍ଦର ଦିଶୁଛି ଦେଖ । ଏହା ଆଗରୁ ହଳେ କ୍ଷୀରୋଦରୀ ପାଟଲୁଗା ଅଛି । ତାକୁ ତୁମେ ତୁମ ଦେହରେ ପିନ୍ଧିଦିଅ–ଶୋଭା ପାଇବ ।

 

ଅନ୍ୟାର୍ଥ—ସେ କାପେଡ଼ିଆଣୀ କହିଲା–ମୁଁ ଲୁଗା କାଢ଼ି ଖୋଲା କରି ଦେଖାଇ ଦେବା ଦ୍ଵାରା ମୋର ମର୍ମସ୍ଥାନ ଦେଖି ତୁମର କିଛି ଲାଭ ହେବ ନାହିଁ । ତୋର ସୁତ (ଝିଅ)ର ଯୌବନ ଅବସ୍ଥା ଆରମ୍ଭରେ କିପରି ପୁଷ୍ପ ଉଦ୍‍ଗମ ହୋଇଛି ତାହା ଦେଖିଲେ ଓ ଉପଭୋଗ କଲେ ଏବଂ କ୍ଷୀରୋଦରୀ ଅର୍ଥାତ୍ ଯୁଗଳ ସ୍ତନ ତୁମଦେହରେ ମିଶାଇଲେ ଆହୁରି ଭଲ ହେବ ।

 

ଗୋପାଳୀ ପସରା ପାଶରେ ସେ ମିଳି

କହଇ ରହସ୍ୟ ବାଣୀ

ସତ କରି କହ ଏ ତୋର ଦୁଧରେ

ମିଶିଅଛି କେତେ ପାଣି । ୨୮ ।

 

ଅର୍ଥ—ସେହି ଜାରପୁରୁଷ କାପେଡ଼ିଆଣୀ ପାଖରୁ ଯାଇ, ଗଉଡ଼ୁଣୀ ପାଖରେ ପହଞ୍ଚି କହିଲା–ତୁମେ ଯେ ଏ ଦୁଧ ଆଣିଛ, ଏହି ଦୁଧରେ କେତେ ପରିମାଣ ପାଣି ମିଶିଅଛି ଠିକ୍ କରି କୁହ ।

 

ଅନ୍ୟାର୍ଥ—ସେ ପୁରୁଷ ଗଉଡ଼ୁଣୀକି କହିଲା–ତୁମ୍ଭ ଦୁଧରେ (କୁଚରେ) କେତେ ପରିମାଣରେ ପାଣି (ହାତ) ଲାଗିଅଛି ତାହା କୁହ ।

 

ସେ ବୋଲେ ନାଗର ଦହି, ହୋଇବାକୁ

ବସିଅଛି ଦୁଧ ମୋର

ଆଗୁ ଜାତ ହେବ ଏକା ପାଞ୍ଚ ଶର

କ୍ଷଣେ ମନ ସ୍ଥିର କର ।୨୯।

 

ଅର୍ଥ—ସେହି ବୀଟପୁରୁଷର ଏପରି କଥା ଶୁଣି ସେ ଗଉଡ଼ୁଣୀ କହିଲା–ହେ ରସିକ ! ଦହି ହେବା ସକାଶେ ମୋର ଦୁଧ ବସିଅଛି । ଏହି ଦହିରୁ ପାଞ୍ଚ ପ୍ରକାର ରସ ବାହାର ହେବ । ତୁମ୍ଭେ ମନକୁ ସ୍ଥିର କରି ଦେଖ ।

 

ଅନ୍ୟାର୍ଥ—ସେ ବୀଟପୁରୁଷକୁ ଗଉଡ଼ୁଣୀ କହିଲା ଯେ ମୋର ଦୁଧ ବା ସ୍ତନ ଅଛି, ସେ ଦହି ଅର୍ଥାତ୍ ମନ୍ଥା ଯିବା ସକାଶେ ରହିଛି । ସେହି ମନ୍ଥନରୁ ପଞ୍ଚ ଶର ଯେ କାମବିକାର ଜାତ ହେବ-। ସେ ବିକାର ଜାତ ହେଲେ ତୁମ୍ଭେ ଧୈର୍ଯ୍ୟ ଧରି ରହି ପାରିବନାହିଁ ।

 

କହେ ଉପଇନ୍ଦ୍ର ଭଞ୍ଜ ବୀରବର

ଅଟନ୍ତି ସେହୁ ନାଗରୀ

ନାଗର ଦେଖି ପ୍ରତ୍ୟୁତ୍ତର ଦିଅନ୍ତି

ଧନ୍ୟ ଧନ୍ୟ ସେ ଚାତୁରୀ ।୩୦।

 

ଅର୍ଥ—କବିବର ଉପେନ୍ଦ୍ର ଭଞ୍ଜ କହିଲେ–ଯେଉଁ ସ୍ତ୍ରୀଲୋକମାନେ ସେ ବୀଟପୁରୁଷକୁ ଏପରି ଉତ୍ତର ଦେବେ, ପ୍ରକୃତରେ ସେମାନେ ସବୁ ନାଗରୀ ମଧ୍ୟରେ ମଣି । କାରଣ ତାଙ୍କର ଚତୁର କଥାରେ ସେ ବୀଟପୁରୁଷ ପରାଜିତ ହୋଇଥିଲା । ତେଣୁ ସେ ସ୍ତ୍ରୀମାନଙ୍କୁ ଧନ୍ୟବାଦ ଦେବା ଉଚିତ-। ଏହା କହି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏ ‘ବଜାର ବୋଲି’ ନାମକ ରହସ୍ୟ ପୂର୍ଣ୍ଣ ପଦ୍ୟଟି ଶେଷ କରିଅଛନ୍ତି ।

Image